top of page

CHENA PODA(ଛେନା ପୋଡ଼)

Updated: Sep 19, 2020


ଛେନା ପୋଡ଼


ବାହାଘର ମୋର ବେଶୀ ଦିନ ହୋଇନି, ତଥାପି ଏଇଲକ୍ ଡାଉନ୍ ପୂର୍ବରୁ ମୁଁ ନିଜ ବାପଘରକୁ ବୁଲିବା ପାଇଁ ଆସିଥିଲି । ଏଠି ପହଞ୍ଚିବା ପରେ, ସବୁଆଡ଼ ବନ୍ଦ ବାନ୍ଦ ହେଇଗଲା । ବାହା ହେଇକି ଆଉ ଶାଶୁ, ଶ୍ୱଶୁରଙ୍କ ପାଖରେ କ'ଣ ରହିବି! ବାପଘରେ ହିଁ ଦିନ କାଟୁଛି ।


ଶାଶୁଘର ଓ ସ୍ୱାମୀଙ୍କ ସଙ୍ଗେ କେବଳ ଫୋନରେ ହିଁ ଯାହା କଥାବାର୍ତ୍ତା । ଆଉ ବାକି ଫ୍ୟାମିଲି ମେମ୍ବର୍ସଙ୍କ ସହ ହ୍ଵାଟସଆପ ଗୃପରେ ଚାଟ୍ । ସମସ୍ତଙ୍କ ଭଲ ମନ୍ଦ ସବୁ ଏଇ ଗୃପରୁ ହିଁ ଯାହା ଜାଣି ହେଉଛି । ଆଜି ସକାଳୁ ହ୍ଵାଟସଆପ ଖୋଲିଲା ବେଳକୁ ଧାଏଁ ଧାଏଁ ନୋଟିଫିକେସନ ଗୁଡାକ କଂ କା ହେଇ ବାଜି ଉଠିଲା । ଗୋଟିଏ ମିନିଟ୍ ପାଇଁ ବିରକ୍ତ ହେଇଚାଲି । କଣ ସବୁ ମେସେଜ ଆସୁଛି ବୋଲି ଦେଖିଲାବେଳକୁ ଆମ ଫ୍ୟାମିଲି ହ୍ଵାଟସଆପ ଗୃପରେ ମେସେଜ ସବୁ ଖୁନ୍ଦିଦେଇ ଗଲାଣି । କଣ ସବୁ କଥା ହେଉଛନ୍ତି, ଦେଖିବାକୁ ପଛ ମେସେଜ ସବୁ ପଢ଼ିବାକୁ ଲାଗିଲି । କିଏ ଲେଖିଛି, ବାହ! କିଏ ଲେଖିଛି " ଅସମ"...ଆହୁରି କେତେ କଣ! ହେଲେ ଏଯାଏଁ ଯେ ମୋତେ କଥା ଟା କଣ ବୁଝା ପଡିଲାନି । ଆହୁରି ପଛକୁ ପଛ ସ୍କ୍ରୋଲ କରିବାକୁ ଲାଗିଲି । ପ୍ରାୟ ୫୦ଟା ମେସେଜ୍ ପଛକୁ ଗଲା ପରେ ଦେଖିଲି ଜଣେ ନଣନ୍ଦଙ୍କ (ପିଉସୀ ଶାଶୁଙ୍କ ଝିଅ) ନମ୍ବରରୁ ୨-୩ଟା ଫୋଟୋ ଆସିଛି । ତାକୁ ଡାଉନ୍-ଲୋଡ କଲା ପରେ ଦେଖିଲି ବଢିଆ "ଛେନା ପୋଡ଼"ର ଫୋଟୋ ଅପଲୋଡ଼ ହେଇଛି । ଫୋଟୋ ସତରେ ଭାରି ବଢ଼ିଆ ହେଇଛି । ଛେନା ପୋଡ଼ଟି ପୁରା ଇସତ୍-ଗୋଲାପୀ ରଙ୍ଗର ଦିଶୁଛି । ପୋଡ଼ର ଚାରିପଟ ବି ପୁରା ଦୋକାନରେ ବିକ୍ରି ହେଉଥିବା ଛେନା ପୋଡ଼ ପରି ହାଲକା ହାଲକା ପୋଡ଼ ପଡ଼ିଛି । ସତରେ ଫୋଟୋ ଦେଖି ଭାବିଲି, ଆହାଃ କେଡ଼େ ସୁନ୍ଦର ଦିଶୁଛି ପୋଡ଼ଟା । ମନେ ମନେ ପ୍ରସଂଶା ପୁଳେ ଗାଇବା ପରେ, ମେସେଜ କଲି.. "ୱ।ହ.. କି ସୁନ୍ଦର ଦିଶୁଛି । ଇଚ୍ଛା ହେଉଛି, ଏବେ ଖାଇଦେବା ପାଇଁ.. I କିଏ ବନେଇଛ, ଏଠିକି ଟିକେ ପଠାଅ ।"


ଏତିକି ଦେଖିକି (ବୟସରେ ସାନ) ନଣନ୍ଦଙ୍କ ଉତ୍ତର ଆସିଲା, "କ'ଣ ଭାଉଜ ସେଇଠି ଥାଇ ଅର୍ଡର ପକଉଛ କି!? ମୁଁ କହିଲି, ହଁ, ନିଜେ ବନେଇ କି ଖାଉଛ, ଆଉ ଫୋଟୋ ଦେଖି ମୋ ଇଚ୍ଛା ହବନି ? ମୁଁ ଗଲେ ମୋ ପାଇଁ ବନେଇବନି ? କେମିତି ବନେଇବନି ! ଅଲବତ୍ ବନେଇବ ନା.. I


ମୋ କଥା ଶୁଣି ନଣନ୍ଦ କହିଲେ, ସତରେ ଖାଇବ ତ? ଅଚ୍ଛା....ହଉ ତାହାଲେ ରୁହ... ମୁଁ ମାମୁଁଙ୍କୁ ତୁମ ଅର୍ଡର ଟା ଦେଇ ଦଉଛି.. I ମୁଁ ଚକିତ ହୋଇ ପଚାରିଲି.. ମାନେ? ନଣନ୍ଦ ହସିକି କହିଲେ, "କଣ ବୁଝି ପାରୁନ?.. ଏଇ ଯୋଉ ସୁନ୍ଦରିଆ ଛେନା ପୋଡ଼ଟା ଦେଖୁଛ, ଏଇଟା ତୁମ ଶ୍ଵଶୁର ବନେଇଛନ୍ତି ।"


ବାସ, ଏତିକି କଥାରେ ମୁଁ ଏପଟେ ଜିଭ କାମୁଡି ବସି ଗଲି.. ଆଉ ସେପଟେ... ଗୃପରେ ଛୁଟିଲା ଅଟ୍ଟାର ଶୁଅ । କହିଲେ.. ଯା...ଯା... ଯୋଉ ବୋହୁର ଶ୍ଵଶୁର ଏତେ ଭଲ ରୋଷେଇ କରୁଛନ୍ତି, ସେ ଭଲ ମନ୍ଦ କରି ସମସ୍ତଙ୍କୁ ଖୁଆଇବ ନା ନିଜେ ଖାଇବ । 😂😂


ଏଇ ସବୁ କଥାରୁ ଜାଣିବାକୁ ପାଇଲି ଯେ, ମୋର ଶାଶୁଙ୍କ ସହ ଶ୍ଵଶୁର ବି ଖୁବ୍ ଭଲ ରୋଷେଇ କରନ୍ତି । ଖାଲି ସେତିକି ନୁହେଁ, ବାପା ମା'ଙ୍କୁ ଘରର କୌଣସି କାମ ଏକା କରିବାକୁ ଦିଅନ୍ତି ନାହିଁ । ମା'ଙ୍କର ବହୁତ ଯତ୍ନ ନିଅନ୍ତି । ଏ କଥା ଶୁଣି ମନ ଯେମିତି ପୁରିଗଲା । ସତରେ ଦାମ୍ପତ୍ୟରେ ଯଦି ଏମିତି ଭଲପାଇବା ଓ ବୁଝାମଣା ରହିବ, ତାହେଲେ ଜୀବନରେ ସବୁବେଳ ପାଇଁ ମଧୁରତା ଭରିଯିବ । ଆଜି ସେଇ ମଧୁରତା କୁ ଆପଣ ସମସ୍ତଙ୍କ ସହ ବାଣ୍ଟିବା ପାଇଁ ମୁଁ ସେୟାର କରୁଛି, ମୋ ଶଶୁରଙ୍କ ହାତ ତିଆରି "ଛେନା ପୋଡ଼" । ଏହାସହ ରେସିପି ମଧ୍ୟ ସେୟାର କରୁଛି । ସମୟ ପାଇଲେ କେମିତି ଲାଗିଲା କହିବେ ନିଶ୍ଚୟ ।


ଜୟ ଜଗନ୍ନାଥ


Insta : digin.meal


ଛେନା ପୋଡ଼



ସାମଗ୍ରୀ :

୧ କପ୍ ଚାମଚ ଛେନା (ଚିପୁଡ଼ା)

୩ ବଡ଼ ଚାମଚ ସୁଜି

୧ ଚାମଚ ଘିଅ

୧/୨ କପ୍ ଚିନି

୧୦ ଟା କିସମିସ

୨୦ ଟା କାଜୁ

ଗୁଜୁରାତି ଅଳେଇଚ




ପ୍ରଣାଳୀ :

ପ୍ରଥମେ ଛେନାକୁ ଭଲ ଭାବେ ହାତ ପାପୁଲିରେ ଦଳି ଦିଅନ୍ତୁ । ତାପରେ ଏଥିରେ ସୁଜି, ଘିଅ ଓ ଚିନିକୁ ଅଳ୍ପ ଅଳ୍ପ କରି ଏକାଠି ମିଶାନ୍ତୁ । ତାପରେ ଏଥିରେ ଗୁଜୁରାତି ଗୁଣ୍ଡ, କାଜୁ ଓ କିସମିସ୍‌ ପକାଇ ମିଶାନ୍ତୁ । ତାପରେ ଗ୍ୟାସରେ ପ୍ରଥମେ ଏକ ତାୱ। ଗରମ କରନ୍ତୁ । ଏବେ ଗୋଟିଏ କଢେଇ ରେ ଘିଅ ଲଗାଇ ଛେନାର ମିଶ୍ରଣ ଢାଳି ଦିଅନ୍ତୁ । ଉପରୁ ଶାଳପତ୍ର କିମ୍ଵା କଦଳୀପତ୍ର ଦେଇ ଘୋଡାଇ ଦିଅନ୍ତୁ । କଢେଇ ଉପରେ ଏକ ନିଦା ଘୋଡ଼ଣୀ ମଧ୍ୟ ଦେଇ ଦିଅନ୍ତୁ । କମ୍ ଆଞ୍ଚରେ ୨୦ରୁ ୨୫ ମିନିଟ୍ ଯାଏଁ ବସିବାକୁ ଦିଅନ୍ତୁ । ତାପରେ ଘୋଡଣୀ କାଢି ଗୋଟିଏ ଛୁରୀ ଦ୍ଵାରା ଚେକ୍ କରନ୍ତୁ ଯେ, ଏହା ଠିକ୍ ଭାବେ ହୋଇଛି କି ନାହିଁ । ଯଦି ହୋଇ ନ ଥିବ, ତେବେ ଆଉ ୫-୧୦ ମିନିଟ୍ ଯାଏଁ ବସିବାକୁ ଦିଅନ୍ତୁ । ତାପରେ ଏହାକୁ ଥଣ୍ଡା କରି ଖାଆନ୍ତୁ ।


238 views0 comments
bottom of page