top of page

Fish Fry Masala (ମାଛ ମସଲା ଫ୍ରାଏ (ମାଛ ମସଲା ଭଜା)

ମାଛ ମସଲା ଫ୍ରାଏ (ମାଛ ମସଲା ଭଜା)



ଓଡ଼ିଆ କି ବଙ୍ଗାଳୀ ହୋଇଥିବ କିନ୍ତୁ ମାଛ ଖାଉନଥିବ, ଏମିତି କଣ କେବେ ଶୁଣିଛନ୍ତି ଭଲା..!! ନାଇଁ ନା.. ତାହାଲେ ଆଜି ଶୁଣନ୍ତୁ, ମୋ କାହାଣୀ । ମୁଁ ଖାଣ୍ଟି ଓଡ଼ିଆ, କହିବାକୁ ଗଲେ ଖାଣ୍ଟି ପୁରୀଆ । ଖାଣ୍ଟି ଓଡ଼ିଆ ଘର ଯେତେବେଳେ, ପିଲାବେଳୁ ଘରେ ମାଛ ମାଂସର ଆସର ଦେଖି ଦେଖି ଆସିଛି । ହେଲେ ମୁଁ, ଗୋଟା ପଣେ ନିରମିଷ ପ୍ରାଣୀ (ଅଣ୍ଡା ବି ଛୁଏଁ ନାହିଁ)। ଶୁଣି କି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କେହି ବିଶ୍ଵାସ କରନ୍ତିନି । ମୋ ସାଙ୍ଗ ସାଥୀ କଣ୍, ମୋ ପରିବାର ଲୋକେ ବି ମୋତେ କଳେ ବଳେ କୌଶଳେ ଆମିଷ ଖୁଆଇବାକୁ ଲକ୍ଷେ ଚେଷ୍ଟା କରିଛନ୍ତି । ହେଲେ ମୁଁ ବି ଧୃତ, ସବୁବେଳେ ମୋତେ ଆମିଷ ବାସ୍ନା ଜଣା ପଡ଼ି ଯାଏ ଆଉ ମୁଁ ସମସ୍ତଙ୍କ ପ୍ଲାନ୍ ଭଣ୍ଡୁର କରିଦିଏ । ଏମିତିକି ଆମିଷ ବାସନ ଧୋଇବା ଦୂର କଥା, ଛୁଏଁ ବି ନାହିଁ । ଧିରେ ଧିରେ ବଡ଼ ହେଲି, ଚାକିରି କରିବାକୁ ଦିଲ୍ଲୀ ଗଲି, ଘର ଲୋକେ ଭାବିଲେ, ଏଥର ସେଠୁ ୟେ ପରିବର୍ତ୍ତନ ହେଇକି ଆସିବ । କିନ୍ତୁ ତା ତ ହେଲାନି କିନ୍ତୁ ମୋ ବିବାହ ବୟସ ହେଇଗଲା । ମୋ ଘର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ଆମିଷ ବାସ୍ନା ବାଜିଲେ, ଯୋଉ ଝିଅ ର ନାହି ଡିଏଁ, ତାପାଇଁ କେମିତି ଗୋଟିଏ ବର ଖୋଜାହବ । ସମସ୍ତେ ଟେଂସନ୍ ରେ ବସି ପଡ଼ିଲେ । ମୋ ମା ତ କେତେ ଠାକୁରଙ୍କୁ ଡାକି ମାନସିକ କରି ପକେଇଲା । ଗୋଟେ ଦି ଟା ପ୍ରସ୍ତାବ, ଏଇ ଆମିଷ ନ ଖାଇବାର ଜିଦ୍ ଆଉ ଆମିଷ ବାସନ ନ ମାଜିବାର ଭୟ ଯୋଗୁଁ ବି ଭାଙ୍ଗିଛି । ବର୍ଷେ, ଦି ବର୍ଷ ପ୍ରସ୍ତାବ ଖୋଜିଲା ପରେ, ଭଦ୍ରକ ରୁ ଗୋଟିଏ ପ୍ରସ୍ତାବ ଆସିଲା (ସାଧାରଣତଃ ପୁରୀ ଝିଅ ଭୁବନେଶ୍ୱର, କଟକ କିମ୍ବା ନିଜ ଜିଲ୍ଲା ରେ ବାହା ହୁଅନ୍ତି) । ପୁଅ ବିଦେଶ ରେ ଚାକିରି କରିଛନ୍ତି, ଘର ଭଦ୍ରକ । ବାହାଘର ପାଇଁ ପ୍ରାୟ ଆଶା ଛାଡ଼ି ଦେଇଥିବା ମୋ ଘର ଲୋକ ଏଇ ପ୍ରସ୍ତାବ ପାଇଁ ବିଶେଷ ଆଗ୍ରହୀ ନଥିଲେ । ଏହାର ପ୍ରଥମ କାରଣ ହେଲା ଭଦ୍ରକ ଜିଲ୍ଲା (ଦୁଇ ଜିଲ୍ଲାର କଥାବାର୍ତ୍ତା ଓ ଚାଲି ଚଳଣିରେ ପାର୍ଥକ୍ୟ ) ଆଉ ଦ୍ଵିତୀୟ କାରଣ ହେଲା ମୋର ଖାଦ୍ୟାଭ୍ୟାସ୍ । ତେଣୁ ସେମାନେ ସବୁ କଥା ଶୁଣି ବି ମୋତେ ଦେଖିବାକୁ କହିଲେ । ନିର୍ଦ୍ଧାରିତ ଦିନ ରେ ଆସି ମୋତେ ଦେଖିଲେ । ମୋତେ ପଚାରିଲେ, କଣ୍ ଆମିଷ କେବେ ଖାଇବନି? ମୁଁ ମଥା ହଲାଇ ମନା କଲି, ତାପରେ ପଚାରିଲେ ଘର ଲୋକ ତ ଆମିଷ ଖାଇବେ, ସେତେବେଳେ କଣ୍ କରିବ? ମୁଁ ଧିରେ କରି କହିଲି, ଆମ ଘରେ ବି ସମସ୍ତେ ଆମିଷ ଖାଆନ୍ତି । ମୋର କିଛି ଅସୁବିଧା ନାହିଁ । ସେଠି ପୁଅ ଘର ଲୋକେ ପୁଅକୁ ଅନାଇ ପଚାରିଲେ, କଣ୍ କହୁଛ, ସେ ତ ଆମିଷ ରନ୍ଧିବେ ନାହିଁ କି ଖାଇବେ ନାହିଁ, ତୁମେ କଣ କରିବ?

ପ୍ରଶ୍ନ ଶୁଣି ପୁଅର ଉତ୍ତର ଆସିଲା, " ତ କଣ୍ ହେଇଗଲା, ମୋତେ ବଢ଼ିଆ ରୋଷେଇ ଆସେ, ମୁଁ ନିଜେ କରି ଖାଇଦେବି ଆଉ ବାସନ ବି ମାଜିଦେବି ।



ଏତିକି ଶୁଣି ସମସ୍ତେ ଠୋ ଠୋ ହେଇ ହସିଲେ, ଆଉ ହଜାରେ ମନ୍ଦିରରେ ମାନସିକ କରି ଥିବା ମୋ ମା କାନ୍ଦି ପକାଇଲା । ବାସ୍ ତାପରେ ଆଉ କଣ, ସେଇ ଦିନ ଆଉ ଆଜି ଦିନ ଭିତରେ ଅଳ୍ପ ଲୁହ ଆଉ ବେଶୀ ହସ ର ଦିନ ବିତି ଯାଇଛି । ବାହାଘରକୁ ୮ ମାସ ବିତିଗଲାଣି । ସେଦିନର ବର ପ୍ରାର୍ଥୀ ଆଜି ମୋ ସ୍ବାମୀ ଆଉ ନିଜ କଥା ଅନୁସାରେ ଆଜି ଯାଏଁ ମୋତେ ଆମିଷ ବାସନ ବି କେବେ ଧରିବାକୁ ଦେଇ ନାହାନ୍ତି । ଆଜି ତାଙ୍କରି ହାତ ରୁ ପ୍ରସ୍ତୁତ ହୋଇଛି, ଏଇ "ମାଛ ମସଲା ଫ୍ରାଏ" । ବାସନ ବି ସେଇ ଧୋଇବେ😂 🤭😂

25 views0 comments

Recent Posts

See All
bottom of page