top of page

ମିକ୍ସଚର


ଘୁ...ଘୁ... ପବନ ପିଟୁଥାଏ... I ଆଜି ଟିଭିରେ ପାଣିପାଗ ଖବର ଦେଲାବେଳେ ବର୍ଷା ସମ୍ଭାବନା ଅଛି ବୋଲି କହୁଥିଲା । ମୁଁ ଘର ଅନ୍ଧାର କରି ସୋଫା ଉପରେ ଅନ୍ୟ ମନସ୍କ ହୋଇ ବସିଥାଏ । ଏତିକି ବେଳେ ମା' ଠାକୁର ଘର ଆଡ଼କୁ ଧାଇଁ ଯାଇ କହିଲା, ଏଡ଼େ ବଡ଼ ଝିଅଟେ ହେଲୁଣି, ତଥାପି ସଣ୍ଠଣା ଶିଖିଲୁନି? ଆଲୋ, ତୁ ବାହା ହେଲୁଣି ପରା ! ସଂଧ୍ୟାବେଳେ ଘର ଅନ୍ଧାର କରନ୍ତିନି ବୋଲି କ'ଣ ଆଜି ଯାଏଁ ଜାଣିନୁ ? ମା'ର କଥା ଶୁଣି ଟିକେ ଚମକି ପଡିଲି । ନଜରଟା ଝରକା ଆଡକୁ ଚାଲିଗଲା । ଲାଇଟ୍ ସ୍ବିଚ୍ ଟା ମାରି ଦେଇ ଝରକା ପାଖରେ ଠିଆ ହୋଇ ପଡ଼ିଲି.. ଆକାଶଟା ଇସତ୍ ଲାଲ ଦିଶୁଛି । ମନେ ପଡିଗଲା ପିଲା ଦିନର ବର୍ଷା ଆଉ ବର୍ଷା ଦିନେ ପକୁଡ଼ି ସାଙ୍ଗରେ ମୋର ମିକ୍ସଚର ପାଗ କଥା । ଜଏଣ୍ଟ ଫ୍ୟାମିଲି ଭିତରେ ମାତ୍ର ଗୋଟିଏ ବଖରା ଘରେ ଯେମିତି ସ୍ପର୍ଗ ସୁଖ ମିଳିଯାଉଥିଲା । କିନ୍ତୁ ସେ ସୁଖ ପଛର କାରଣକୁ ଆମେ କେହି ନା ବୁଝୁଥିଲୁ ନା ଜାଣୁଥିଲୁ । ସେ କାରଣଟା ଥିଲା ମୋ ମା' ର ଅକ୍ଳାନ୍ତ ପରିଶ୍ରମ।


ମୋ ମା' ସେତେବେଳେ ୧୨ରୁ ୧୫ ଜଣ ଲୋକଙ୍କ ପାଇଁ ଏକେଲା ରୋଷେଇ କରୁଥିଲା । ଜେଜେ ମା'ଙ୍କ ସବୁ ନୀତି ନିୟମ ମାନିବା, ବଡ଼ ମା'ଙ୍କ ଦୁଇ ପୁଅଙ୍କୁ ଗାଧୋଇ, ଖୁଆଇ ପିଆଇ ସ୍କୁଲ ପଠାଇବା, ସମସ୍ତଙ୍କ ଲୁଗା କାଚିବା ଆଉ ତା ଉପରେ ଦି ଦି' ଟା ଜାଆଁଳା ଛୁଆ(ମୁଁ ଓ ମୋ ଭାଇ)ଙ୍କୁ ସମ୍ଭାଳିବା । ସତରେ କେତେ ଅଜବ ଏ ଜୀବନ ବି ! ସହରୀ ସଭ୍ୟତା ଭିତରେ ଗୋଟିଏ ସମ୍ଭ୍ରାନ୍ତ ଜୀବନ ବିତେଇ ଥିବା ମୋ ମା' ଭାଗ୍ୟରେ ଯେ, ଏତେ କଷ୍ଟ ଥିଲା, ଏ କଥା ସେ ନିଜେ ବି ଭାବି ନ ଥିବ ।


ରୂପ, ଗୁଣରେ ସରି ନ ଥିବା ମୋ ମା' ଯେ, ୩୦ ବର୍ଷ ତଳେ ଉଷା ସିଲେଇ ସ୍କୁଲର ବେଷ୍ଟ ଟିଚର ଥିଲା । କିନ୍ତୁ ଏବେ ତାର ନିଜ ପରିଚୟ ହଜି ଯାଇଛି । ଆଜି ସେ କେବଳ ଗୋଟିଏ ସ୍ତ୍ରୀ ଓ ମା' ଭିତରେ ସୀମିତ ହୋଇ ରହିଯାଇଛି । ନାଚ, ଗୀତ ଓ ଚିତ୍ର କଳାରେ ପାରଙ୍ଗମ ମୋ ମା' ଜୀବନରେ ଆଜି ନିଜ ପାଇଁ ଫୁରସତ୍ ର ମୂହୁର୍ତ୍ତ ଟେ ବି ନାହିଁ ।



ଏତିକି ବେଳେ ଦଲକାଏ ପବନ ଆଉ ଆଞ୍ଜୁଳାଏ ପାଣି ଛିଟାରେ ମୋର ସବୁ ଭାବନା ଓଦା ହୋଇଗଲା । ମୁଁ ବାସ୍ତବତାକୁ ଫେରିଲି । ସେପଟୁ ମା'ର ଡାକ ଶୁଭିଲା... ସମୁଦୁଣି ଭିଡିଓ କଲ୍ କରିଛନ୍ତି । ଆ' ଦେଖିବୁ କେମିତି ବଢ଼ିଆ "ମିକ୍ସଚର" ବନେଇଛନ୍ତି । ମୁଁ କଲରେ ଆସି ପ୍ରଣାମ କଲି । ମା' ଖୁସିରେ କହୁଥାନ୍ତି, ଦେଖ, ତୋ ପାଇଁ ମିକ୍ସଚର ବନେଇଛି । ତୁ ଆସିଲେ ଖାଇବୁ । ମୁଁ ହସିଲି, କହିଲି ମା' ମୋ ପାଇଁ କାଇଁ ଏତେ ପରିଶ୍ରମ କରୁଥିଲେ? ମା' କହିଲେ, ଆରେ ମୁଁ କଣ ଏକା ଏ ସବୁ କଲି.. ବାପା ତ ଅଧାରୁ ଅଧିକ ଛଣା ଛଣି ନିଜେ କରିଦେଲେ ।


ଏତିକି ଶୁଣି ମନ ମୋର ଖୁସି ଓ ଅବସାଦରେ ଭରିଗଲା । ଗୋଟିଏ ପଟେ ଥିଲା ନିଜକୁ ଜଳାଞ୍ଜଳି ଦେଇ ମୋତେ ଆଗକୁ ବଢେଇଥିବା ମା'ର ଚିତ୍ର, ଆଉ ଗୋଟେ ପଟେ ଦେଖୁଥିଲି ନିଜର ସବୁ ଦାୟିତ୍ଵକୁ ନିଜ ନିଜ ଭିତରେ ବାଣ୍ଟି ଖୁସିରେ ଚଳି ଆସିଥିବା ଶାଶୁ ଓ ଶ୍ଵଶୁରଙ୍କ ଚିତ୍ର ।


ମୋ ମା' ବି ଯଦି ଜେଜେ, ଜେଜେ ମା' ଓ ବାପାଙ୍କ ଠାରୁ ଆଗକୁ ବଢିବାର ସହଯୋଗ ପାଇଥାନ୍ତା, ତାହାଲେ ତା ଜୀବନ ଏମିତି ରୋଷେଇ ବାସ ଓ ବାସନ ମଜାରେ ସୀମିତ ହୋଇ ନଥାନ୍ତା ।


ମନେ ମନେ ଭାବିଲି, ଏଇ ଜୀବନ ଟା ଗୋଟିଏ ମିକ୍ସଚର ହିଁ, ଯେଉଁଥିରେ ସ୍ନେହ, ମମତା, ପ୍ରେରଣା, ଆଶୀର୍ବାଦ ସବୁ ଫେଣ୍ଟା ହୋଇ ରହିବା ଖୁବ୍ ଜରୁରୀ । ନ ହେଲେ ଜୀବନର ମାନେ ବା କ'ଣ ରହିଲା ! ମୋ ଶାଶୁଙ୍କ ହାତ ତିଆରି ମିକ୍ସଚର ପରି, ଜୀବନର ସବୁ ଉପାଦାନ ଯଦି ଭଲ ଥାଏ ତାହାଲେ ଜୀବନର ସ୍ଵାଦ ବଢ଼େ ! ନଚେତ୍ ବିନା ସ୍ଵାଦରେ ମିକ୍ସଚର ବି ଡଷ୍ଟବିନ ଭିତରକୁ ଯାଏ ।

11 views0 comments
bottom of page